ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)
ପ୍ରିୟ ଡାଇରୀ,
ତୁମ ସହ ଦେଖା, ପୁଣି ଏକ ମୁହୂର୍ତ୍ତ କେବଳ ନିଜ ସହିତ ଏକାନ୍ତ ରେ କଟାଇ ବାର ପ୍ରାୟାସ, ପ୍ରିୟ ଧୀରେ ଧୀରେ ଏକାନ୍ତ ସମୟ ଭଲ ଲାଗିଲାଣି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଭିଁଏ ଅନ୍ଧାରୀ ଗଳି ରୁ ବାହାରି ଦୂର ଆଲୋକ ପଥ ର ଯାତ୍ରୀ ହେଲେଣି। ଅନେକ ଦିନ ପରେ ଏକ ସାଧାରଣ ଜୀବନ ଶୈଳୀ କୁ ଫେରି ବାର ଚେଷ୍ଟା। ଜାଣେ ଏବେବି ଅନିଶ୍ଚିତ ଭବିଷ୍ୟତ ତଥାପି ମୁକ୍ତ ଜୀବନ ର ଆକର୍ଷଣ ମନକୁ ବନ୍ଦୀ କରି ପାରିନି। ସେଥି ପାଇଁ ବେଳାଭୂମି ର ଆକର୍ଷଣ ଟାଣି ନେଲା ଜଗନ୍ନାଥ ଧାମ ପୁରୀ କୁ।
ଅନେକ ଦିନ ପରେ ପୁରୀ ଯେମିତି ନୂଆ କରି ସଜେଇ ହୋଇଛି। ବହୁତ୍ କିଛି ବଦଳି ଯାଇଛି ଏଠି। ସଫା ସୁତୁରା ବିସ୍ତୀର୍ଣ୍ଣ ବେଳାଭୂମି, ନିରସ ମନରେ କୁଳ ଛୁଇଁ ଫେରି ଯାଉଛି ଲହଡ଼ି ମାଳ।ତାର ସେ ନିରସତା ର କାରଣ ସଭିଙ୍କୁ ଜଣା। ଗହଳି ଭିତରେ ବଞ୍ଚୁ ଥିବା ମନଟା ନିର୍ଜନ ରେ ବଞ୍ଚିବା କଷ୍ଟକର। ନା ସୁଭୁଛି ବୁଲା ବିକାଳି ଙ୍କ ସ୍ୱର ନା ଲହଡ଼ି ଛୁଇଁ ବାର ପ୍ରାୟାସ ର କୋଳାହଳ। ସବୁ କିଛି ଶୁନଶାନ୍। କେତେଟା ବୁଲା କୁକୁର ଙ୍କୁ ଛାଡ଼ିଦେଲେ ବାକିସବୁ ନୋଳିଆ ସାହିର ପିଲା। ଖାଲି ଖାଲି ଲାଗୁଛି ବେଳାଭୂମି ସଂଲଗ୍ନ ରାସ୍ତା, ଚାରିଆଡ଼େ ଖାଁ ଖାଁ, ନିସ୍ତବତାର ରାଜୁତି।
ମନେ ପଡେ ପିଲା ବେଳେ ପୁରୀ ଆସିବା କଥା, ଗାଁ ରୁ କେହି ବୁଲି ବାକୁ ଆସିଲେ ତାଙ୍କ ସହ ପୁରୀ ଯାଉ। ପ୍ରଥମେ ମନ୍ଦିର ଦର୍ଶନ, ବଡ଼ଦାଣ୍ଡରେ ଚାଲି ଚାଲି ଯିବାକୁ ପଡ଼େ, ଦର୍ଶନ ପରେ ଅଭଡ଼ା ଖାଇ ଅନ୍ୟ ମନ୍ଦିର ଦର୍ଶନ ରେ ଯାଉ। ଲକ୍ଷ୍ମୀ ଙ୍କ ମନ୍ଦିର ରେ ଘଡ଼ିଏ ସମୟ ବସିବାକୁ ପଡ଼େ। ସତ କହିବାକୁ ଗଲେ ମନ ସେଠୀ ବିଲକୁଲ୍ ନଥାଏ କେମିତି ସମୁଦ୍ର କୂଳ ଆଡେ ବୁଲି ଯିବୁ। ବଡ଼ଦାଣ୍ଡ ରୁ ରାବିଡି, ଖଜା, ତୁଳା ବତି ନ ନେଲେ ମନ୍ଦିର ଦର୍ଶନ ସମ୍ପୂର୍ଣ ହୁଏନି। ବଡ଼ଦାଣ୍ଡରେ ସିନ୍ଦୂର କିଣିବା ପ୍ରଥା ବହୁ ପୁରୁଣା। ମନେ ଅଛି ଆଗରୁ ଯିଏ ପୁରୀ ଆସେ କାଠମାଳି ଓ ରଙ୍ଗ ବେରଙ୍ଗ ଉଖୁଡା ଭୋଗ ଗାଁ ରେ ବାଂଟେ। ହେଲେ ଏବେ ସେସବୁ ନାହିଁ। ଆଗରୁ ଲୋକେ କେବଳ ମନ୍ଦିର ର ଆକର୍ଷଣ ରେ ଆସୁଥିଲେ ହେଲେ ଏବେ ବେଳାଭୂମି ର ଆକର୍ଷଣ ଟାଣି ନେଉଛି।
ଆଜି ବଡଦେଉଳ ରେ ମହାପ୍ରଭୁ ଏକାନ୍ତ ବାସରେ ,କେତେ ଜଣ ସେବାୟତ ଙ୍କୁ ଛାଡି ଦେଲେ ଆଉ କେହିନାହି। ଯେଉଁଠି ଦିନେ ଜନ ସମୁଦ୍ର ଥିଲା ଆଜି ସବୁକିଛି ଶୁନଶାନ୍ ।ବର୍ତ୍ତମାନ ର ପରିସ୍ଥିତି ସମସ୍ତଙ୍କୁ ଜଣା, ରାତି ପରେ ଦିନ ନିଶ୍ଚିତ ଆସିବ ହେଲେ ଏ ଅପେକ୍ଷା ଅନେକ ଯନ୍ତ୍ରଣା ଦେଲାଣି। ରାତି ଅନେକ, ନିସ୍ତବ୍ଧ ରାତିର ନିରବତା କୁ ମହୋଦଧି ର ଗର୍ଜନ୍ ବେତିବ୍ୟସ୍ତ କରିପକାଉଛି। ଝରକା ଫାଙ୍କରେ ସମୁଦ୍ର ଗର୍ଭରୁ କ୍ଷୀଣ ଆଲୋକର ମାଳା ଦେଖା ଯାଉଛି। ନୋଳିଆ ମାନେ ବୋଧେ ଘର ବାହୁଡ଼ା।
ଅନେକ କିଛି ଲେଖିବାକୁ ଇଛା ହେଲେ ନିଦ ଆସି ଆଖିପତାରେ ଉଦଣ୍ଡତା ଆରମ୍ଭ କରି ଦେଲାଣି, ଶବ୍ଦ ସବୁ ଲୁଚକାଳି ଖେଳ ଆରମ୍ଭ କରି ଦେଲେଣି। ଆଉ ନୁହେଁ....ଆଜି ପାଇଁ ଏତିକି, ମାେ ପ୍ରିୟ ବାନ୍ଧବୀ ମାେ ଡାଇରୀ...........
ଚିନ୍ମୟୀ ନାୟକ
Subscribe and share views on chinmayeenayak.blog@gmail.com
Beautiful writing 👌
ReplyDelete