ପ୍ରିୟ ଡାଇରୀ,
ପ୍ରିୟ ଡାଇରୀ
ତୁମେ ତ ଜାଣ ଗହଳି ଭିତରେ ମୁଁ ମୋ ନିଜ ଅସ୍ତିତ୍ଵ କୁ ହଜାଇ ବସେ, ମୁହଁରେ ରଙ୍ଗ ମାରି ଅନ୍ୟ କୁ ହସେଇ ବାରେ ସର୍ବଦା ଚେଷ୍ଟିତ। ହେଲେ ବେଳେ ବେଳେ ମିଳୁଥିବା ଏକାନ୍ତ ମୋ ପାଇଁ ବରଦାନ ପାଲଟି ଯାଏ।ଆଉ ସେତବେଳେ ତୁମେ ମନେ ପଡ। ତୁମ ସହ ପଦେ କଥା ମାେ ମନ କୁ ହାଲକା କରିଦିଏ। ଅନେକ ଥର ନିଜ ସୁଖ, ଦୁଃଖ,ରାଗ କୁ ତୁମ ପାଖରେ ବଖାଣି ବସିଛି ହେଲେ ,ଏସବୁର ଉର୍ଦ୍ଧରେ ଆଜିର ବିକଟ ପରିସ୍ଥିତି।
ଏଣୁ ତେଣୁ ଗୁଡାଏ ଭାବୁଛି ହେଲେ ଆଜି ଶବ୍ଦ ର ଅଭାବ , ମନ ଆକାଶ ରେ ଅନେକ କଳା ବାଦଲ। ଜାଣେନି କେତେ ବେଳେ ଅସରାଏ ବର୍ଷା ହେବ। ରାତିର ଅନ୍ଧକାର ଆଜି ଆଉ ଟିକେ ଅଧିକ ଗାଢ଼। କଳା ମଚ ମଚ ଘଞ୍ଚ ଅନ୍ଧାର , ନିରେଖି ଦେଖିଲେ ଦୂର ମନ୍ଦିର ର ଦୀପ ଶିଖା ମିଞ୍ଜି ମିଞ୍ଜି ଜଳୁଛି। ବର୍ତ୍ତମାନ ର ପରିସ୍ଥିତି କାହାକୁ ଅଛପା ନାହିଁ।ଏ ବିଂଶ ଶତାବ୍ଦୀ ରେ ପୁରା ବିଶ୍ଵ ସ୍ଵାଧୀନ ଓ ମୁକ୍ତ ଜୀବନ ର ପରିଭାଷା କୁ ଭଲଭାବେ ବୁଝିଛି। ପଞ୍ଜୁରୀ ଭିତର ଓ ବାହାର ର ତଫାତ ସମୟ ଜଣାଇ ଦେଇଛି।ଏକ ଅସମ୍ପୂର୍ଣ୍ଣ ଜୀବନ ଶୈଳୀ କୁ ନେଇ ଦିନ ରାତି ଗୁଣି ହେଉଛି। ହେଲେ ସବୁକିଛି ହାତ ଠୁ ଅନେକ ଦୂର। ଝରକା ଫାଙ୍କ ଦେଇ ବାହାରକୁ ଚାହିଁଲେ ବିହଙ୍ଗ ମାନଙ୍କ ଖୋଲା ଆକାଶ ରେ ମୁକ୍ତ ଜୀବନ ମନକୁ ବିକଳ କରିଦିଏ। ସବୁକିଛି ବନ୍ଧନ କୁ ଛିଡାଇ ଖୋଲା ଆକାଶ ତଳେ ଶୀତଳ ପବନ ର ସ୍ପର୍ଶ କୁ ଅନୁଭବ କରିବାକୁ ଇଛା ହୁଏ। ବାଘ କୁ ପିଞ୍ଜରା ଭିତରେ ଦେଖି ଯେଉଁମାନେ ଆତ୍ମସନ୍ତୋଷ ପାଉ ଥିଲେ ଆଜି ସେମାନେ ସେହି ଜାଗାରେ
ନିଜକୁ ଇଶ୍ଵର ଙ୍କ ସମକକ୍ଷ ଭାବୁଥିବା ଏ ମଣିଷ ସମାଜ ସତରେ କେତେ ଅସହାୟ।ଘର ଭିତରୁ ନିଜକୁ ବନ୍ଦ୍ କରି ନିଜକୁ ବନ୍ଦୀ ଘୋଷଣା କରିଦେବା ଏତେ ସହଜ କଥା ନୁହେଁ ତଥାପି ନିଜକୁ ପ୍ରତି ମୁହୂର୍ତ୍ତ ଏଭଳି ଏକ ପରିସ୍ଥିତି ସହ ଖାପ ଖୁଆଇ ବାକୁ ସତ ଚେଷ୍ଟା କରା ଯାଇଛି। ଏଥିପାଇଁ ଦାୟୀ ଅନ୍ୟ କେହିନୁହେଁ ସେ ନିଜେ। ସମୟର ଓଲଟା ଗତିରେ ଚାଲିବା ତାର ଯେମିତି ଅଭ୍ୟାସରେ ପରିଣତ ହୋଇଗଲାଣି। ସବୁକିଛି ନିଜ ହାତ ମୁଠାରେ ଦରକାର ଏମିତି କି ସମ୍ପର୍କ ର ସୂତା ମଧ୍ୟ। ଯତ୍ନ, ଭଲପାଇବା, ସ୍ନେହ ସବୁ କୁ କେବଳ ହାନି ଲାଭ ର ନିକିତି ରେ ମାପି ଚାଲେ।ହେଲେ ସେ ଭୁଲିଯାଏ ପ୍ରକୃତି ର ନିୟମ। ମାଟି ଠୁ ଆକାଶ, ଆମେ ସଭିଏଁ ଗୋଟିଏ ଡୋରିରେ ବନ୍ଧା।
ବାନ୍ଧବୀ, ତୁମେ ତ ଜାଣ ଘିଅ ମହୁ ଦେଇ ଯଦି ସତକୁ ବଦଳାଇ ଦିଆଯାଏ ତଥାପି ସେ ବଦଳେ ନାହିଁ।ହେଲେ ଏମାନେ ଇଶ୍ୱରଙ୍କ ନିୟମ କୁ ବଦଳାଇ ଦେବାକୁ ଚେଷ୍ଠା କରୁଛନ୍ତି। ପରସ୍ପର ମୁଣ୍ଡରେ ଅଠା ବୋଳି ନିଜପାଇଁ ସାବସି ଗୋଟାଇ ଚାଲି ଛନ୍ତି।
ମନରେ ଅସରନ୍ତି ଭାବନା ହେଲେ ସେ ସବୁକୁ ଶବ୍ଦ ରୂପ ଦେବା ସମ୍ଭବ ନୁହେଁ। ତେଣୁ ଆଜିପାଇଁ ଏତିକି, ପୁଣି ତୁମ ସହ ଦେଖା ଅରଥରକୁ। ମୋ ପ୍ରିୟ ବାନ୍ଧବୀ ମାେ ଡାଇରୀ.........
ଚିନ୍ମୟୀ ନାୟକ
Subscribe and share view on chinmayeenayak.blog@gmail.com.
Niceee
ReplyDelete