ପ୍ରିୟ ଡାଇରୀ,


 ପ୍ରିୟ ଡାଇରୀ,

        ଆଜି ଶବ୍ଦ ର ଅଭାବ ହେଲେ ମନ ଆକାଶ ରେ ଅନେକ କଳା ବାଦଲ। ଜାଣେନି କେତେ ବେଳେ ଅସରାଏ ବର୍ଷା ହେବ। ରାତିର ଅନ୍ଧକାର ଆଜି ଆଉ ଟିକେ ଅଧିକ ଗାଢ଼। କଳା ମଚ ମଚ ଘଞ୍ଚ ଅନ୍ଧାର ରେ ନିରେଖି ଦେଖିଲେ ଦୂର ମନ୍ଦିର ର ଦୀପ ଶିଖା ମିଞ୍ଜି ମିଞ୍ଜି ହୋଇ ଜଳୁଛି। ରାମାୟଣ ପୃଷ୍ଠା ଓଲଟାଇ ତା ଭିତରେ ସୀତା ମାଆ ଙ୍କ ଜୀବନର କରୁଣ କାହାଣୀ ଅନୁଭବ କରିବାକୁ ଚେଷ୍ଟା କରୁଥିଲି ହେଲେ ହଠାତ୍ ଆଖି ଦୁଇଟା ଏମିତି ଏକ ଚରିତ୍ର ଉପରେ ଅଟକୀ ଗଲା ଯାହାଙ୍କୁ ଅଣଦେଖା କରିହେବ ନାହିଁ।ସେ ଚରିତ୍ର ଟି ହେଉଛି ମହାପ୍ରତାପି ରାବଣର ଧର୍ମପତ୍ନୀ ମନ୍ଦୋଦୋରି।          

         ମନ୍ଦୋଦୋରି ରାମାୟଣ ରେ ଅତି ନଗଣ୍ୟ ଚରିତ୍ର।ଯାହାକୁ କେହି କେବେ ମନେ ରଖିନି। ଯାହାର ତ୍ୟାଗ କାହା ନଜର ରେ କେବେ ଆସିନି।, ଜଣେ ପ୍ରତିଷ୍ଠିତ ରାଜା ମାୟାସୂର୍ ଓ ମହାରାଣୀ ହେମା ଙ୍କର ଅତି ଗେଲାର ପାଳିତ କନ୍ୟା,ଜଣେ ଧର୍ମପରାୟଣ ମହିଳା,ମହା ପ୍ରତାପୀ ରାବଣ ର ଅର୍ଦ୍ଧାଙ୍ଗନୀ,ସ୍ୱର୍ଣ୍ଣ ଲଙ୍କାର ସମ୍ରାଞୀ , ଜୀବନ ର ଅଜସ୍ର ସୁଖ ଅଜାଡ଼ି ଦିଆ ଯାଇଥିଲା ତା ପାଦ ତଳେ।ଏତେ ସବୁ ଗର୍ବ ସେହି ଦିନ ଭାଙ୍ଗି ମାଟିରେ ବିଛୁଡି ହୋଇ ପଡ଼ିଥିଲା ଯେଉଁଦିନ ସୀତା ଅଶୋକ ବାଟିକା ରେ ବନ୍ଦୀ ଜୀବନର ଆରମ୍ଭ କଲେ। ଅନେକ ଥର ହାତ ଯୋଡ଼ି ନେହୁରା ହୋଇ ଥିଲା।ସସମ୍ମାନ ରେ ଛାଡ଼ି ଆସିବାକୁ ଗୁହାରି କରିଥିଲା ହେଲେ ସେ ସବୁ ର କୌଣସି ମୂଲ୍ୟ ନଥିଲା।ହୃଦୟ ଫଟା କ୍ରନ୍ଦନ ସ୍ୱର୍ଣ୍ଣ ଲଙ୍କାର ବିରାଟ ପ୍ରାସାଦରେ କେଉଁ ଏକ କୋଣ ରେ ହଜି ଯାଇଥିଲା। ସବୁକିଛି ସଜାଡି ଦେବାକୁ ଉଦ୍ୟମ କରି ବାରମ୍ବାର ବିଫଳ ହୋଇଥିଲା ସେ।

          ସେ ସମୟ ରେ ରାଜା ମାନେ ବହୁରାଣୀ ରଖୁଥିଲେ ଏହାବହୁତ ଗର୍ବ ର କଥା ଥିଲା। ହେଲେ ରାମ କାହିଁ କି ଥିଲେ ମର୍ଯ୍ୟାଦା ପୁରଷୋତ୍ତମ। ତା ହେଲେ ଏଠି ଉତ୍ତମ ପୁରୁଷ ର ଡେଫିନେସନ୍ କଣ।ଏକନାରୀ ପୁରୁଷ ଯଦି ଉତ୍ତମ ସମ୍ମାନ ଥିଲା, ଅନେକ ଜ୍ଞାନୀ ଗୁଣି ରାଜା ଏକାଧିକ ପତ୍ନୀ ଗ୍ରହଣ କରିଥିଲେ କାହିକିଁ। ପ୍ରଥମ ପତ୍ନୀର ଜୀବିତ ଅବସ୍ଥାରେ ଦ୍ଵିତୀୟ ବିବାହ ହିନ୍ଦୁ ଶାସ୍ତ୍ର ଅନୁମତି ଦେଲା କାହିକିଁ।ସେ ସମୟରେ ଅନେକ ମୁନି ଋଷି ରାଜାଙ୍କ ପଥ ପଦର୍ଶକ ଥିଲେ।ସେ ଏମିତି ଏକ ଘୂର୍ଣ୍ୟ ଚିନ୍ତା ଧାରାକୁ ବଦଳାଇ ଦେଇ ନଥିଲେ କାହିକି। ହୁଏତ ପୁରୁଷ ସମାଜର ଅନେକ ସ୍ବପ୍ନ କୁ ଚରିତାର୍ଥ୍ କରାଯାଉ ଥିଲା।

       ଯୁଗେ ଯୁଗେ ନାରୀ ର ସମ୍ମାନ ରେ ଅନେକ ଗାଥା ହେଲେ ସେ ସବୁ ଯେମିତି ପାଙ୍କା ଶବ୍ଦ।ହଜାରେ ପୋଥି ପୁରାଣ ଭିତରେ ପୁରୁଷ କେବଳ ତାର ଅଂହ କୁ ଲୁଚାଇ ବାକୁ ଚେଷ୍ଟା କରିଛି।ଲୁଚାଇ ରଖିଛି ଏକ ଛତ୍ରବାଦୀ ହେବାର ପ୍ରବଳ ଇଚ୍ଛାକୁ। ଆଜି ଏ ସମାଜରେ ଅନେକ ମନ୍ଦୋଦୋରି। ଯିଏ ନିଜ କୋହ କୁ ହୃଦୟରେ ଚାପିଧରି ଓଠ କୋଣରେ ଧାରେ ହସଦେଖାଇ ସମାଜ କୁ ମୁହଁ କରି ଚାଲି ଛନ୍ତି। ଶିଥିଳ ହୋଇ ପଡୁ ଥିବା ପାଦ କୁ ସନ୍ତାନ ଉନ୍ନତୀ ର ଉସ୍ମତା ଦେଇ ଅଗ୍ରସର ହେବାକୁ ଚେଷ୍ଟା କରୁଛନ୍ତି।

           ଅନେକ କୁହନ୍ତି ମୁଁ କେବଳ ଅନ୍ୟ କୁ ଦୋଷାରୋପ କରେ। ହେଲେ ତୁମେ ତ ଜାଣ ସତ କୁ କଣ୍ କେବେ ପ୍ରକାଶ ର ଆବଶ୍ୟକ ହୁଏ। ସତ ମିଞ୍ଜି ମିଞ୍ଜି କରୁଥିବା ଦୀପ ଶିଖା ନୁହେଁ ସୁର୍ଯ୍ୟ ଆଲୋକ ଠୁ ମଧ୍ୟ ଆହୁରି ଉଜ୍ଜ୍ୱଳ।

         ଅନେକ କିଛି ଲେଖି ବାକୁ ଚାହେଁ ହେଲେ ତୁମ କୁ ଧର୍ଯ୍ୟ ହରା କରି ଦେବା କୁ ଚାହେଁ ନାହିଁ...... ଆଜି ପାଇଁ ଏତିକି ମାେ ପ୍ରିୟ ବାନ୍ଧବୀ ମାେ ଡାଇରୀ.........

ଚିନ୍ମୟୀ ନାୟକ

Subscribe and share views on chinmayeenayak.blog@gmail.com

Comments

Post a Comment

Popular posts from this blog

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

ପ୍ରିୟ ଡାଇରୀ,