ପ୍ରିୟ ଡାଇରୀ,

     ତୁମେ ଜାଣ ,ତୁମ ସହ ଦେଖା ପୁଣି ଦୁଇପଦ କଥା ମୋ ପାଇଁ ଶକ୍ତି ର ଉତ୍ସ। ପୁରା ସପ୍ତାହ ମୁଁ ତୁମ କୁ ଅପେକ୍ଷା କରି ରୁହେ ମନରେ ଅନେକ କିଛି ଆସେ ହେଲେ ସେ ସବୁକୁ ଶବ୍ଦ ରୂପ ଦେବା ସମ୍ଭବ ନୁହେଁ। ହାତେ ମାପି ଚାଖଣ୍ଡେ ଚାଲି ଅନୁଭୂତି କୁ ବାଣ୍ଟିବାକୁ ଚାହେଁ। ତଥାପି ଲାଗେ ବ୍ୟାକରଣ ର ତ୍ରୁଟି ପାଇଁ ଶବ୍ଦ ର ମାନେ ଯେମିତି ବଦଳି ନଯାଏ।
       ଶୀତୁଆ ସକାଳ, ଅନେକ ସ୍ମୃତିକୁ ମନେ ପକାଇ ଦିଏ। କମ୍ବଳ ଭିତର ର ଗରମ, ସକାଳର କଅଁଳ ଖରା ରେ ମା ର ପୁରୁଣା ସାଲ କୁ ଦି ଦୋର କରି ଘୋଡେ଼ଇ ହୋଇ ବସି ପାଠ ପଢିବା ସମୟରେ ଗରମ ଗରମ ଚୁଡ଼ା ସନ୍ତୁଳା ର ବାସ୍ନା,ପୁଣି ତା ସହିତ କଟକ ରୁ ଯାଇଥିବା କିଣା ଆମ୍ବ ଆଚାର। ଖରା ଖୋଜି ଖୋଜି ଧାନ ଖଳା ରେ ବସୁ। ସେଇଠି ଖରା ବେଳ ଖାଇବା ପିଇବା ପୁଣି ଲୁଡୁ ଖେଳ। ଏବର x mass ଛୁଟି ସେତେବେଳର ଧାନ କଟା ଛୁଟି। ଶୀତୁଆ ସକାଳେ ନଡ଼ା ଜାଳି ସେକି ହେବାର ମଜା ଅଲଗା। 
      ଏମିତି ଶୀତୁଆ ସକାଳ ଅତୀତ ର ଅନେକ ଫର୍ଦ୍ଦ କୁ ଓଲଟାଇ ଦିଏ, ପିଲା ଦିନର ପ୍ରତିଟି ମୁହୂର୍ତ୍ତ ଓଠ କୋଣରେ ଧାରେ ହସ ପାଲଟିଯାଏ। ଏବେ କାକର ଭିଜା ଘାସ ପଡ଼ିଆରେ ପାଦ ଘୋଷାଡି ଚାଲିବାର ପିଲାଲିଆମି ଆଉ ନାହିଁ।ନା ଖଟ ଉପରେ ଲୋଚା କୋଚା ହୋଇ ପଡିଥିବା କମ୍ବଳ ଅହେତୁକ ଆକର୍ଷଣ। ଏବେ ସବୁକିଛି ଫିକା ଫିକା।ମା ର ଶହେ ଥର ଡାକରାରେ ଖୋଲୁ ଥିବା ଆଖି ଆଜି ଆଲରାମ ର ଅପେକ୍ଷା କରେନି। ରାତି ରେ ମା ସହ ଚୂଲି ମୂଳେ ହାତ ସେକିବା ଆଜି ଯେମିତି ସ୍ବପ୍ନ।
     ରାତି ଅନେକ, ତୁମ ସହ ଗପୁଥିଲେ ସମୟ ର ଖିଆଲ ରୁହେନି ତଥାପି ସମୟ ଆଲାରମ୍ ମୋତେ ଅଟକାଇ ସାରିଲାଣି। କାଲି ଶନିବାର ଛୁଟି ଦିନ। ପୁରା ବର୍ଷ ଟା ଯେମିତି ଛୁଟି ରେ କଟି ଯାଉଛି। ଏବେ ପ୍ରତିଦିନ ଶନି ବାର ଆଉ ରବି ବାର। ଛୁଟି ଟା କେବଳ ପିଲାଙ୍କ ପାଇଁ ,ବାକି ନିଜ ନିଜ ର କାମ ରେ ବ୍ୟସ୍ତ। ଦୀପାବଳୀ ଆହୁରି ସପ୍ତାହେ ବାକି। ହେଲେ ଦୀପାବଳି ପାଳନ ର ଉତ୍କଣ୍ଠା ପିଲାଙ୍କ ଠୀ ପରିଲକ୍ଷିତ ହେଲାଣି। ଏତିକି ରେ ରହୁଛି ମୋ ପ୍ରିୟ ବାନ୍ଧବୀ ମୋ ପ୍ରିୟ ଡାଇରୀ.......
ଚିନ୍ମୟୀ ନାୟକ।
Subscribe and share views on chinmayeenayak.blog@gmail.com

Comments

Popular posts from this blog

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

ପ୍ରିୟ ଡାଇରୀ,