ପ୍ରିୟ ଡାଇରୀ (food court)
ପ୍ରିୟ ଡାଇରୀ,
ତୁମ ସହ ଦେଖା ଯେମିତି ମୋ ପାଇଁ ନିଦାଘ ରେ ଅସରାଏ ବର୍ଷା। ସପ୍ତାହ ର ଛ ଦିନ ମୁଁ ତୁମ କୁ ଅପେକ୍ଷା କରେ, ମନ ଭିତରେ ଦଳି ମନ୍ଥି ହେଉ ଥିବା ଭାବନା ସବୁ ତୁମ ଆଗେ ବଖାଣି ବା ପାଇଁ। ଶେଷରେ ତୁମ ସହ ଦେଖା ହୁଏ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ କିଛି ମନର ଏକ ରେଖା ରେ ଘୁରି ବୁଲନ୍ତି, ଅତୀତ ବର୍ତ୍ତମାନ ର ମାଟି ତଳେ ଦବିଯାଇ ନିଜକୁ ନିଶ୍ଚିନ କରିବାକୁ ଚେଷ୍ଟା କରେ, ବର୍ତ୍ତମାନ ନିଜ ଅହଂକାର ଓ ଆତ୍ମଗର୍ବ ରେ ନିଜକୁ ଶ୍ରେଷ୍ଠ ମଣେ।ପୁଣି ଭବିଷ୍ୟତ ଦୂର ଦିଗବଳୟ ରେ ଘୁରି ବୁଲୁଥିବା କଳା ବାଦଲ ଖଣ୍ଡେ। ଅତୀତ କୁ ଝୁରିଲେ ବର୍ତ୍ତମାନ ଅଭିମାନ ରେ ମୁହଁ ମୋଡ଼ି ବସେ ଆଉ ପୁଣି ଭବିଷ୍ୟତ....... ସେ ତ ଏଠି ଦିଗହରା......
ପରିସ୍ଥିତି ର ପରିବର୍ତ୍ତନ ହୋଇନି ହେଲେ ବଦଳି ଯାଇଥିବା ଜୀବନ ଶୈଳୀ ଯେମିତି ନିଜ ନିଜ ରାସ୍ତା ଦେଇ ଆଗକୁ ବଢ଼ିବାରେ ଲାଗିଲାଣି। ଅନେକ ଦିନ ପରେ ସପରିବାର ବାହାରକୁ ବାହାରି ଥିଲୁ। ପୁରା ମଲ ଖାଲି ଖାଲି ହେଲେ ଫୁଡ୍ କୋର୍ଟ ତ ପୁରା ଫୁଲ୍। କ୍ଷଣିକ ପୁର୍ବରୁ କୋରୋନା ର ଭୟ କଥା ଭାବୁଥିଲି ହେଲେ ଏଠି ତାହାର ଲେଶ ମାତ୍ର ନାହିଁ। ଗୋଟିଏ ଟେବୁଲ ଖାଲି ନାହିଁ। କାଉଣ୍ଟର ଆଗରେ ଲମ୍ବା ଧାଡ଼ି, ଦେଖିଲେ ଲାଗୁଛି କେତେ ଅସହାୟ ଏମାନେ, ଭୋକରେ ବ୍ୟାକୁଳ ହେଲେ ଧର୍ଯ୍ୟ ର ତା ଜୀବନ୍ତ ମୂର୍ତ୍ତି।ହାତରେ ବିଲ ଧରି ନିଜର ପ୍ଲେଟ ଆସିବା ପର୍ଯ୍ୟନ୍ତ ସୁନା ପିଲା ପରି ଅପେକ୍ଷା କରନ୍ତି।
ସେ ଅପେକ୍ଷା କିନ୍ତୁ ଘରେ ଦେଖା ଯାଏ ନାହିଁ। ଟିକେ ଡେରି ହେଲେ ରାଗରେ ବିନା ଖାଇବା ରେ କିଏ ଅଫିସ ବାହାରି ଯାଏ ତ କିଏ କଲେଜ, ପୁଣି କିଏ ରାଗ ଓ ଅଭିମାନ ରେ ଅନ୍ୟର ଅପାରଗତା କୁ ଦର୍ଶାଇ ଅନେକ କିଛି କହିଯାଏ, ହେଲେ ଏଠି ସେସବୁ କିଛି ବି ନାହିଁ।ନା ରାଗରେ ବିନା ଖାଇବା ନେଇ କିଏ ଫେରି ଯାଉଛି ନା ଅଧର୍ୟ୍ଯ ହୋଇ ଅନ୍ୟକୁ ଦୋଷାରୋପ କରୁଛନ୍ତି । ସବୁକିଛି ଏକଦମ୍ ଶାନ୍ତ ସରଳ ଭାବରେ ସଂଯୋଜନା କରାଯାଉଛି।
ଏଇଠି ବସି ବସି ଭାବୁଛି ସତରେ କଣ ଏସବୁ ମା ହାତ ରନ୍ଧା ଠାରୁ ଏତେ ସୁଆଦିଆ। ଯାହା ପାଇଁ ଏତେ ଧର୍ଯ୍ୟ ରଖି ଅପେକ୍ଷା ଚାଲିଛି। ଟିକେ ଡେରି ହେଲେ ଗୋଡ଼ କଚାଡ଼ି ଚାଲିବା କାହିଁ ଏଠି ଜଣଙ୍କ ଥି ବି ଦେଖା ଯାଉନି।ସତରେ ସମାଜ କେତେ ପରିବର୍ତ୍ତନଶିଳ । ମା ହାତ ରନ୍ଧା ଖାଦ୍ୟ ରେ କେବଳ ପେଟ ପୁରୁ ନଥିଲା ମନ ପୁରି ଯାଏ, ବିଦ୍ୟାଳୟ ର ମାଟି ମାଡ଼ି ନଥିବା ମୋ ଜେଜେ ମା ଅନେକ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ବନାଇ ପାରେ। ହେଲେ ଆଜିର ଆଧୁନିକ ସମାଜରେ ଏ ସବୁର ମୂଲ୍ୟ କଣ। ସ୍ଵାଦ ଅନୁସାରେ ଏଠାରେ ଅନେକ ରଂଗ ବେରଙ୍ଗ ଖାଦ୍ୟ ପରଷି ଦିଆଯାଏ ଯାହାକୁ ଖାଇଲେ ନା ପେଟ ପୁରେ ନା ମନ। କଥାରେ ଅଛି ପରିବେଶ ଅନୁଯାୟୀ ଖାଦ୍ୟ, ହେଲେ ଏଠାରେ ନା ପରିବେଶ କୁ ଦେଖାଯାଉଛି ନା ପରିସ୍ଥିତି କୁ।
ତୁମେ ତ ଜାଣ ତୁମ ସହ ଗପୁ ଗପୁ ସମୟର ହୋସ ରୁହେନୀ। ହେଲେ ଆଜି ପାଇଁ ଏତିକି ମୋ ପ୍ରିୟ ବାନ୍ଧବୀ ମୋ ପ୍ରିୟ ଡାଇରୀ।
ଚିନ୍ମୟୀ ନାୟକ
Subscribe and share views on chinmayeenayak.blog@gmail.com.
Comments
Post a Comment