ପ୍ରିୟ ଡାଇରୀ,

            ରାତି ଅନେକ ହେଲାଣି, ଘଣ୍ଟା ର ଟିକ ଟିକ ଶବ୍ଦ ପୁରା କୋଠରୀ ସାରା ଖେଳି ଯାଉଛି, ଟେବୁଲ ଉପରେ ରଖା ଯାଇଥିବା ସୁନ୍ଦର ଲାଲ୍ ପେନ୍ ଟା ମୋ ନଜର ରେ ଆସିଲା। ସଂଧ୍ୟା ବେଳେ ତ ନଥିଲା,ମୋ ପୁଅ Tution ରୁ ଆସିବା ପରଠୁ ତା ବ୍ୟାଗ୍ ତା ସୋଫା ହାତ ରେ ସେମିତି ଅବାଞ୍ଛିତ ଅବସ୍ଥାରେ ଝୁଲି ରହିଛି। ତାହେଲେ ଏ ଲାଲ୍ ପେନ୍ ଟା ମୋ ଟେବୁଲ ଉପରେ କେମିତି ଆସିଲା। ସେଠାରେ ମୋ ପୁରୁଣା ଡାଇରୀ ବି ରଖା ଯାଇ ଥିଲା।ଯାହା ମୋ ଆଲମିରା ର କେଉଁ କୋଣରେ ପଡ଼ି ରହିଥିଲା। ପୁରୁଣା ଡାଇରୀ ର ଆକର୍ଷଣ ରେ ଖଟ ରୁ ଉଠି ଟେବୁଲ୍ ପାଖରେ ଛିଡା ହେଲି।

           ପୁରୁଣା ପୃଷ୍ଠା କୁ ଓଲଟାଇ ଦେଲା ବେଳେ ପ୍ରତିଟି ପୃଷ୍ଟା ଯେମିତି ମୋ ଆଙ୍ଗୁଠି ଧରି ପାଦେ ପାଦେ ପଛକୁ ଟାଣି ନେଉଛି। ସ୍କୁଲ ରେ ପଢୁଥିବା ସମୟରେ ଛୋଟ ଛୋଟ କବିତା ଲେଖିବା ଆରମ୍ଭ କରିଥିଲି।ସାଧାରଣତନ୍ତ୍ର ଦିବସରେ ସାଙ୍ଗ ମାନଙ୍କ ସହିତ ମିଶି ତାକୁ ଗାଇ ଥିଲୁ ମଧ୍ୟ। ହେଲେ ଏବେ ସେ କବିତା ଦେଖି ହସ ଲାଗୁଛି। କଲେଜ ସମୟ ରେ ଦୁଇଟା କବିତା ଓ ପ୍ରବନ୍ଧ ସେ ବର୍ଷ ମାଗାଜିନ୍ ରେ ସ୍ଥାନ ପାଇଥିଲା। ହେଲେ ଶିକ୍ଷକ ମୋ ମୁହଁରେ କହିଥିଲେ ତୁମ ଲେଖା ଭଳି ଲାଗୁନି,କେହି ଜଣେ ଭଲ ଲେଖକ ଏହାକୁ ଲେଖିଛନ୍ତି। କିଛି ସମୟ ପାଇଁ ଖରାପ ଲାଗିଥିଲା ହେଲେ ଏହା ମୋ ପାଇଁ ପ୍ରଶଂସା ଥିଲା।

       ତା ପରେ ମୋ ଡାଇରୀ ମୋ ପାଇଁ ଏକାନ୍ତ ର ସାଥୀ ଥିଲା। ଦୀର୍ଘ ୧୦ ବର୍ଷ ଧରି ସେ ମୋ ଜୀବନ ର ପ୍ରତିଟି ମୁହୂର୍ତ୍ତ , ମୁଁ ତା ସହ ବାଣ୍ଟି ଛି। ହେଲେ ସ୍ୱାର୍ଥପର ପାଲଟି ମୁଁ ରାସ୍ତା ଭାଙ୍ଗି ଏକୁଟିଆ ଅନେକ ଦୂର ଆଗେଇ ଆସିଲେଣି। ଅନେକ ଘଟଣା ଅତୀତ ଓ ବର୍ତମାନ କୁ ବଦଳାଇ ଦେଇ ଛି। ଭବିଷ୍ୟତ ଦୂର ଓ ଧୁମ୍ରାଭ।ନିଜକୁ ଅନେଗୁଡ଼ିଏ ପରୀକ୍ଷାର ସମ୍ମୁଖୀନ କରି ଧୀରେ ଧୀରେ ସ୍ତାନୁ ପାଲଟି ଯାଇଛି। ଅନେକ ଥର ନିଜକୁ ପ୍ରତିପାଦିତ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ଶବ୍ଦର ଅର୍ଥ ଅନେକ ଥର ନିରାର୍ଥକ ହୋଇ ଯାଇଛି। ଚିତ୍କାର କରି ସତକୁ ସତ ବୋଲି ପ୍ରମାଣିତ କରି ପାରିନି। ସମ୍ପର୍କ ର ଦ୍ୱାହି ଦେଇ ମିଛ ପ୍ରତିଶ୍ରୁତି ନେଇ ପାରିନି। ସେଥିପାଇଁ ବୋଧେ ଅନେକ ପରିସ୍ଥିତି ମୋତେ ଏକ ନୂତନ ଶିକ୍ଷା ଦେଇଯାଏ।

        ଜାଣେ ସୁଖ ଦୁଃଖ ଜୀବନ ର ଅଙ୍ଗ, ହେଲେ ସେମାନଙ୍କ ଅନୁଭବ ମଧ୍ୟ ରେ ଏବେ କୌଣସି ପାର୍ଥକ୍ୟ ଆଉ ନାହିଁ।ସୁଖରେ ଧାରେ ହସ ଆଉ ଦୁଃଖ ରେ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼େ।ବାସ୍ ତାପରେ ସବୁକିଛି ଠିକ୍। ଏଠି ଆବଶ୍ୟକତା ର ମାନେ ବଦଳି ଯାଇଛି, ମୌଳିକ ଇଛା ର ସଂଜ୍ଞା ଏଠି ସଂଜ୍ଞାହୀନ। କେହି ଜଣେ ମହାନ୍ ବ୍ୟକ୍ତି କହିଥିଲେ ଜୀବନରେ କେତେ ବି ଆଗକୁ ଯାଅ, ବୟସ ର ଯେ କୌଣସି ପାହାଚରେ ଥାଅ ନିଜର ପସନ୍ଦ କୁ କେବେ ଭୂଲିବ ନାହିଁ। ନିଜ ପସନ୍ଦ କାମ କରିବାର ଆସ୍ପୃହା ଜୀବନକୁ ନୂତନ ଆଶାରେ ଭରି ଦିଏ। ସେଥି ପାଇଁ ତୁମ କୁ ପୁଣି ଥରେ ମନେ ପକାଇଛି।

            ଜୀବନର ପ୍ରତିଟି ମୁହୂର୍ତ୍ତ କେବଳ ତୁମ ସହ ବାଣ୍ଟିବାକୁ ଚାହେଁ ମୋ ପ୍ରିୟ ବାନ୍ଧବୀ ମୋ ପ୍ରିୟ ଡାଇରୀ.......।

 ଚିନ୍ମୟୀ ନାୟକ

Subscribe and share views on chinmayeenayak.blog@gmail.com.

         

       

Comments

Popular posts from this blog

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

ପ୍ରିୟ ଡାଇରୀ,